Breaking News

ଜୁନ୍ ପ୍ରଥମ ସପ୍ତାହରେ ଓଡ଼ିଶା ଛୁଇଁବ ମୌସୁମୀ; ୩୦ ତାରିଖରେ ଯାଏ କାଳବୈଶାଖୀର ପ୍ରଭାବ


ମୌସୁମୀର କ୍ଷୀପ୍ର ଗତି । ଜୁନ୍ ପ୍ରଥମ ସପ୍ତାହରେ ଓଡ଼ିଶା ଛୁଇଁବ । ଚଳିତ ବର୍ଷ ଧାର୍ଯ୍ୟ ସମୟ ପୂର୍ବରୁ ମୌସୁମୀର ଆଗମନ ହୋଇଛି । ପାଣିପାଗ ବିଭାଗ ଆକଳନ ଅବଧିର ୮ ଦିନ ପୂର୍ବରୁ ଗତକାଲି ମୌସୁମୀ କେରଳ ଛୁଇଁଛି । ଗତ ୧୬ ବର୍ଷ ମଧ୍ୟରେ ଏହା ପ୍ରଥମ ଘଟଣା । କେରଳରେ ମୌସୁମୀ ଜନିତ ପ୍ରବଳ ବର୍ଷା ଆରମ୍ଭ ହୋଇଥିବାବେଳେ ଓଡ଼ିଶାକୁ ମଧ୍ୟ ମୌସୁମୀ ବାୟୁ ସଅଳ ଆସିବା ନେଇ ଆକଳନ କରିଛନ୍ତି ପାଣିପାଗ ବିଜ୍ଞାନୀ ।

ସାଧାରଣତଃ କେରଳରେ ମୌସୁମୀ ବାୟୁ ଛୁଇଁବାର ୧୦ ଦିନ ପରେ ଏହା ଓଡ଼ିଶାକୁ ପ୍ରବେଶ କରିଥାଏ। ମେ ଶେଷ କିମ୍ବା ଜୁନ୍ ମାସର ପ୍ରଥମ ସପ୍ତାହ ମଧ୍ୟରେ ମୌସୁମୀ ବାୟୁ ଓଡ଼ିଶା ଛୁଇଁବା ନେଇ ଅଧିକ ସମ୍ଭାବନା ରହିଥିବା କୁହାଯାଉଛି ।

ସେପଟେ ୨୭ ତାରିଖ ବେଳକୁ ବଙ୍ଗୋପସାଗରରେ ସୃଷ୍ଟିହେବ ଲଘୁଚାପ କ୍ଷେତ୍ର । ପଶ୍ଚିମ- କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଲୋ ପ୍ରେସର ସୃଷ୍ଟି ହେବା ସମ୍ଭାବନା ରହିଛି । ପରବର୍ତ୍ତୀ ୨ଦିନରେ ଏହା ଅଧିକ ଘନୀଭୂତ ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ତେବେ ବାତ୍ୟାରେ ପରିଣତ ହେବା ନେଇ କୌଣସି ସମ୍ଭାବନା ନଥିବା କୁହାଯାଇଛି ।

୩୦ ତାରିଖରେ ଯାଏ ରାଜ୍ୟରେ ଜାରି ରହିବ କାଳବୈଶାଖୀର ପ୍ରଭାବ । ଆଜି କାଳବୈଶାଖୀ ପାଇଁ ୬ ଜିଲ୍ଲା ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମୟୂରଭଞ୍ଜ ଓ କେନ୍ଦୁଝରକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏହି ଜିଲ୍ଲାମାନଙ୍କର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।

Type and hit Enter to search

Close