କିଛି ଦିନର ବ୍ୟବଧାନ ପରେ ବିଜୁ ଜନତା ଦଳରେ ପୁଣି ଥରେ ହଇଚଇ ସୃଷ୍ଟି ହୋଇଛି । ରାଜ୍ୟସଭା ସାଂସଦ ମୁନା ଖାନ୍ ବିଜେଡ଼ି ସଂଖ୍ୟା ଲଘୁ ସାଉଥ୍ ଜୋନର ସଂଯୋଜକ ପଦରୁ ଇସ୍ତଫା ଦେଇଥିବା ନେଇ ଚର୍ଚ୍ଚା ଜୋର୍ ଧରିଛି । ସେ ନବୀନ ନିବାସରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟି ନିଜର ଇସ୍ତଫା ଦେଇଥିବା କୁହାଯାଉଛି । ତେବେ ଏ ନେଇ ମୁନା ଖାନ୍ କିମ୍ବା ଦଳ ପକ୍ଷରୁ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ ।
ଗତ ମେ ୫ ତାରିଖରେ ବିଜେଡ଼ିର ସଂଖ୍ୟା ଲଘୁ ସେଲ୍ ଗଠନ ହୋଇଥିଲା । ସାଂସଦ ମୁନା ଖାଁଙ୍କୁ ବିଜେଡ଼ି ସଂଖ୍ୟା ଲଘୁ ସାଉଥ୍ ଜୋନର ସଂଯୋଜକ ପଦରେ ନିଯୁକ୍ତ କରିଥିଲା । କିନ୍ତୁ ଦିଲ୍ଲୀପ ତିର୍କୀଙ୍କୁ ସଂଖ୍ୟା ଲଘୁ ସେଲର ଆବାହକ ଭାବରେ ନିଯୁକ୍ତ କରାଯାଇଥିଲା । ପୂର୍ବରୁ ଏଥିରେ ମୁନା ଖାନ୍ ଅଧ୍ୟକ୍ଷ ଥିଲେ । ଏହାକୁ ନେଇ ମୁନା ଖାନ୍ ଅସନ୍ତୋଷ ଥିବା ଚର୍ଚ୍ଚା ହେଉଥିଲା । ତେବେ ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି ତାଙ୍କର ଇସ୍ତଫା ପ୍ରସଙ୍ଗ । ଖୁବ ଶୀଘ୍ର ଏହି ପ୍ରସଙ୍ଗରେ ଚିତ୍ର ସ୍ପଷ୍ଟ ହେବ ବୋଲି କୁହାଯାଉଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ୱାକଫ୍ ବିଲକୁ ନେଇ ବିଜେଡ଼ିରେ ଅନେକ ଅସନ୍ତୋଷ ଦେଖା ଦେଇଥିଲା । ଗୋଟିଏ ପଟେ ମୁନା ଖାନ୍ ବିଲକୁ ବିରୋଧ କରିଥିବାବେଳେ କିଛି ସାଂସଦ ସପକ୍ଷରେ ଭୋଟ୍ ଦେଇଥିଲେ । ଯାହାକୁ ନେଇ ମୁନା ଖାନ୍ ଅସନ୍ତୋଷ ପ୍ରକାଶ କରିଥିଲେ । ଦଳର ସଭାପତି ବିଲ୍ ବିପକ୍ଷରେ ଭୋଟ୍ ଦେବାକୁ କହିଥିଲେ । ଅନ୍ୟମାନେ କିପରି ସପକ୍ଷରେ ଭୋଟ୍ ଦେଲେ ସେନେଇ ସେ ପ୍ରଶ୍ନ କରିଥିଲେ । କିନ୍ତୁ ଦଳ ତାଙ୍କ କଥାକୁ କୌଣସି ଗୁରୁତ୍ୱ ଦେଇ ନ ଥିବା ଜଣାପଡ଼ିଥିଲା । ବିଲ୍ ସପକ୍ଷରେ ଭୋଟ୍ ଦେଇଥିବା ସାଂସଦଙ୍କ ବିରୁଦ୍ଧରେ ଦଳ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା । ସବୁ କିଛି ପରଦା ପଛରେ ଥିବା ଭି କେ ପାଣ୍ଡିଆନଙ୍କ ଇଙ୍ଗିତରେ ପରିଚାଳିତ ହେଉଛି ବୋଲି ଚର୍ଚ୍ଚା ହୋଇଥିଲା ।
Social Footer