Breaking News

ବନ୍ଧୁକ କାରଖାନା ଠାବ ଘଟଣା, ମାଷ୍ଟରମାଇଣ୍ଡ୍ ଚଗଲା ଖୁଣ୍ଟିଆକୁ ଗିରଫ କଲା STF

 

କଟକ ବୟାଳିଶ ମୌଜାରେ ଚାଲିଥିବା ଏକ ବେଆଇନ ବନ୍ଧୁକ କାରଖାନା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଚଗଲା ଖୁଣ୍ଟିଆକୁ ଏସ୍‌ଟିଏଫ୍ (ସ୍ପେସିଆଲ ଟାସ୍କ ଫୋର୍ସ) ଗିରଫ କରିଛି। କଟକର ଶଙ୍କରପୁର ଅଞ୍ଚଳରୁ ଏହି କୁଖ୍ୟାତ ଅପରାଧି ଧରାପଡ଼ିଛି, ଯିଏ ପୂର୍ବରୁ ଏକ ହତ୍ୟା ମାମଲାରେ ଅଭିଯୁକ୍ତ ଥିଲା। ଜେଲ୍‌ରୁ ଫେରିବା ପରେ ସେ ବୟାଳିଶ ମୌଜାର ଏହି ଅବୈଧ ବନ୍ଧୁକ କାରଖାନା ସହ ଜଡ଼ିତ ହୋଇଥିଲା। ଗିରଫ ପରେ ତାକୁ କୋର୍ଟ ଚାଲାଣ କରାଯାଇଛି।

ଚଗଲା ଖୁଣ୍ଟିଆ ଏହି କାରଖାନାରେ ତିଆରି ହେଉଥିବା ବନ୍ଧୁକଗୁଡ଼ିକୁ ବାହାରେ ବିକ୍ରି କରୁଥିଲା। ଏହାର ପ୍ରମାଣ ମିଳିବା ପରେ ଏସ୍‌ଟିଏଫ୍ ତାକୁ ଶଙ୍କରପୁରରୁ ଗିରଫ କରି ଆଦାଲତକୁ ପଠାଇଛି। ଏହା ପୂର୍ବରୁ ଗତ ୧୩ ତାରିଖରେ ଏସ୍‌ଟିଏଫ୍ ବୟାଳିଶ ମୌଜାରେ ଚାଲିଥିବା ଏହି ବେଆଇନ କାରଖାନା ଉପରେ ଚଢ଼ାଉ କରି ୪ ଜଣଙ୍କୁ ଗିରଫ କରିଥିଲା ଏବଂ ୩୦ରୁ ଅଧିକ ବନ୍ଧୁକ ଜବତ କରିଥିଲା।

କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌କୁ କୌଣସି ସୂତ୍ରରୁ ଖବର ମିଳିଥିଲା ଯେ ବୟାଳିଶ ମୌଜାରେ ଏକ ଅବୈଧ ବନ୍ଧୁକ କାରଖାନା ଚାଲିଛି। ଏହାପରେ ୧୩ ତାରିଖ ସକାଳୁ ଏସ୍‌ଟିଏଫ୍ ଟିମ୍ ଏହି କାରଖାନା ଉପରେ ରେଡ୍ କରିଥିଲା। ଏକ ଚାଳ ଘର ଭିତରେ ବନ୍ଧୁକ ତିଆରି ଚାଲିଥିବା ଦେଖିବାକୁ ମିଳିଥିଲା। ଘଟଣାସ୍ଥଳରୁ ବନ୍ଧୁକ ତିଆରି ମେସିନ, ଉପକରଣ ଏବଂ ଅନେକ ବନ୍ଧୁକ ଜବତ କରାଯାଇଥିଲା।

ଏହି କାରଖାନାଟି ଥାନାଠାରୁ ମାତ୍ର ୨ କିଲୋମିଟର ଦୂରରେ, ଗାଁର ଶେଷ ପ୍ରାନ୍ତରେ ଏକ ଗୁହାଳ ନିକଟରେ ଅବସ୍ଥିତ ଥିଲା। ରେଡ୍ ସମୟରେ ୪ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଏବେ ମୁଖ୍ୟ ଅଭିଯୁକ୍ତ ଚଗଲା ଖୁଣ୍ଟିଆକୁ ମଧ୍ୟ ଏସ୍‌ଟିଏଫ୍ ଧରିଛି। ବର୍ତ୍ତମାନ ଏହି ବନ୍ଧୁକ କାରବାରର ମୂଳ ସୁତ୍ରଧରଙ୍କୁ ଖୋଜିବା ପାଇଁ ତଦନ୍ତ ଜାରି ରହିଛି।

whatsapp channel

Type and hit Enter to search

Close