• ପ୍ରତିଷ୍ଠା ଦିବସରେ ଶ୍ରେଷ୍ଠ ବିବେଚିତ ପ୍ରତିଯୋଗୀଙ୍କୁ କରାଯିବ ସମ୍ବର୍ଦ୍ଧିତ - ଉପ ସଚିବ
• ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଚେୟାରମ୍ୟାନ୍ କପ୍ ବକ୍ତୃତା ପ୍ରତିଯୋଗିତା
ବ୍ରହ୍ମପୁର, ୧୮/୧ (ଅଭିଜିତ କର): ସ୍ଥାନୀୟ ଶଶିଭୂଷଣ ରଥ ସରକାରୀ ମହିଳା ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଶନିବାର ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଜୋନ୍ ସ୍ତରୀୟ ଚେୟାରମ୍ୟାନ୍ କପ୍ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦକ୍ଷିଣାଞ୍ଚଳ ଉପ ସଚିବ ଡ. କୁଳମଣି ଓଝା ଓ ଏସ୍.ବି.ଆର୍. ସରକାରୀ ମହିଳା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ଚିତ୍ତରଞ୍ଜନ ଶତପଥୀ ଏହି ବକ୍ତୃତା ପ୍ରତିଯୋଗିତାର ଶୁଭାରମ୍ଭ କରିବା ସଂଗେ ସଂଗେ ସମବେତ ପ୍ରତିଯୋଗୀଙ୍କୁ ମାର୍ଗଦର୍ଶନ କରିଥିଲେ l ଓଡ଼ିଆ, ହିନ୍ଦୀ ଓ ଇଂରାଜୀ ଭାଷାରେ ଅନୁଷ୍ଠିତ ପୃଥକ୍ ପୃଥକ୍ ବକ୍ତୃତା ପ୍ରତିଯୋଗିତାରେ ମହିଳା ମହାବିଦ୍ୟାଳୟର ଇତିହାସ ବିଭାଗ ସହକାରୀ ପ୍ରଫେସର୍ ଡ.ଦେବରାଜ ସ୍ୱାଇଁ, ତେଲୁଗୁ ବିଭାଗ ସହକାରୀ ପ୍ରଫେସର୍ ଡ. କେ. ନାରାୟଣ ରାଓ, ସଂସ୍କୃତ ବିଭାଗ ସହକାରୀ ପ୍ରଫେସର୍ ଡ. ମନୀଷା ମିଶ୍ର, ଇଂରାଜୀ ବିଭାଗ ସହକାରୀ ପ୍ରଫେସର୍ ଡ. ନୀତା ଦୁବେ, ଓଡ଼ିଆ ବିଭାଗ ଅଧ୍ୟାପକ ଶାନ୍ତନୁ ସୁନା, ଅଧ୍ୟାପିକା ସୁରେଖା ଛେତ୍ରିଆ ଓ ଇଂରାଜୀ ବିଭାଗ ଅଧ୍ୟାପକ ରୋହିତ ପାରାଭୋଇ ପ୍ରମୁଖ ବିଚାରକ ରୂପେ ଯୋଗ ଦେଇଥିଲେ ।
ଆୟୋଜିତ ଏହି ଓଡ଼ିଆ ବକ୍ତୃତା ପ୍ରତିଯୋଗିତାରେ ରାୟଗଡ଼ା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛାତ୍ର ସୁରଜ ଖଣ୍ଡପାଣି ପ୍ରଥମ, ନୀଳକଣ୍ଠନଗର ସରସ୍ବତୀ ବିଦ୍ୟା ମନ୍ଦିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛାତ୍ରୀ ଆକାଂକ୍ଷା କର ଦ୍ଵିତୀୟ ଓ ନାଳନ୍ଦା ଶ୍ରୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛାତ୍ରୀ କ୍ଷୀରାବ୍ଧି ମିଶ୍ର ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେହିପରି ହିନ୍ଦୀ ବକ୍ତୃତା ପ୍ରତିଯୋଗିତାରେ ନୀଳକଣ୍ଠନଗର ସରସ୍ବତୀ ବିଦ୍ୟା ମନ୍ଦିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛାତ୍ରୀ ପି. ସୌମ୍ୟା ଶ୍ରୀ ରେଡ୍ଡୀ ପ୍ରଥମ, ଶଶିଭୂଷଣ ରଥ ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛାତ୍ରୀ ରୁତ୍ମା ପାଲଟା ଦ୍ଵିତୀୟ, ଖଲ୍ଲିକୋଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛାତ୍ର ସତ୍ୟଜିତ୍ ପଣ୍ଡା ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ, ଇଂରାଜୀ ବକ୍ତୃତା ପ୍ରତିଯୋଗିତାରେ ନୀଳକଣ୍ଠନଗର ସରସ୍ବତୀ ବିଦ୍ୟା ମନ୍ଦିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛାତ୍ରୀ ପି. ସ୍ମୃତିମୟୀ ପାତ୍ର ପ୍ରଥମ, ସ୍ଥିତିପ୍ରଜ୍ଞା ସାହୁ ଦ୍ଵିତୀୟ ଓ ମଧୁସ୍ମିତା ଶତପଥୀ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଆସନ୍ତା ଜାନୁଆରୀ ୨୨ ତାରିଖ ପୂର୍ବାହ୍ଣ ୧୦ଟା ସମୟରେ କଟକ ସ୍ଥିତ ରେଭେନ୍ସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଫାଇନାଲ୍ ରାଉଣ୍ଡ୍ ପ୍ରତିଯୋଗିତା ଅନୁଷ୍ଠିତ ହେବ । ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଶ୍ରେଷ୍ଠ ବିବେଚିତ ପ୍ରତିଯୋଗୀ ମାନଙ୍କୁ ଆଗାମୀ ସେପ୍ଟେମ୍ବର୍ ୭ ତାରିଖ ଦିନ ପରିଷଦର ପ୍ରତିଷ୍ଠା ଦିବସରେ ଅର୍ଥରାଶି ଓ ପ୍ରମାଣପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯିବ ବୋଲି ଶ୍ରୀ ଓଝା ସୂଚନା ପ୍ରଦାନ କରିଛନ୍ତି।
Social Footer