ସାଇବର ଠକେଇ ବନ୍ଦ କରନ୍ତୁ ଅଥବା ଗାଁ ଛାଡ଼ନ୍ତୁ: ଏସ୍‌ପି

 

ରାଜସ୍ଥାନ ପୁଲିସକୁ ବଡ଼ ସଫଳତା ମିଳିଛି। ଖୈରଥଳ ପୁଲିସ ସାଇବର ଠକେଇ ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ନେଇଛି। ବିଭିନ୍ନ ଘଟଣା ସହିତ ଜଡ଼ିତ ପୁଲିସ ୨୬ ଜଣ ସାଇବର ଠକଙ୍କୁ ଗିରଫ କରିଛି। ଅଭିଯୁକ୍ତମାନଙ୍କ ଠାରୁ ୨୮ଟି ମୋବାଇଲ୍ ଫୋନ୍‌, ୨ଟି ଚାରିଚକିଆ ବାହନ ଓ ଅନ୍ୟ ସାମଗ୍ରୀ ଜବତ କରିଛି। ଖୈରଥଳ ଏସ୍‌ପି ମନୀଷ କୁମାର ସାଇବର ଠକଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ସାଇବର ଠକେଇ କରଥିବା ଅଭିଯୁକ୍ତମାନେ ଠକିବା ବନ୍ଦ କରନ୍ତୁ ଅଥବା ଗାଁ ଛାଡ଼ନ୍ତୁ।

ଖୈରଥଳ ପୁଲିସ ଅଧୀକ୍ଷକ ମନୀଷ କୁମାର କହିଛନ୍ତି, କ୍ରମାଗତ ସାଇବର ଠକେଇ ମାମଲା ଆସୁଥିଲା। ସାଇବର ଠକମାନଙ୍କୁ ଗିରଫ ପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠିତ ହୋଇଥିଲା। ପୁଲିସ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଅଭିଯୁକ୍ତମାନଙ୍କୁ ଗିରଫ କରିଛନ୍ତି। ଏହି ଠକମାନେ ସାଧାରଣ ଜନତାଙ୍କୁ ବଡ଼ବଡ଼ ଲୋଭ ଦେଖାଇ ଲକ୍ଷାଧିକ ଟଙ୍କା ଠକିଛନ୍ତି। ଏସ୍‌ପି କହିଛନ୍ତି, ଠକମାନେ ଏହି ଅଞ୍ଚଳରେ ପୁଲିସ ପରିଚୟ ଦେଇ ଘଟଣା ଘଟାଉଥିଲେ। 

ଏସ୍‌ପି ମନୀଷ କୁମାର କହିଛନ୍ତି ଯେ, ଅଭିଯୁକ୍ତମାନେ ଅନ୍‌ଲାଇନ୍ ଠକେଇ କରୁଥିଲେ। ଏମାନେ ଶୂନଶାନ ସ୍ଥାନରୁ ଯଥା ଖେତ, ପାହାଡ଼, ଚା’ ଦୋକାନ ଆଦି ସ୍ଥାନରୁ ଲୋକଙ୍କୁ ଫୋନ୍ କରୁଥିଲେ। ନିଜକୁ ପୁଲିସ ଅଧିକାରୀ ପରିଚୟ ଦେଉଥିଲେ। ଲୋନ, କାମ ଦେବା ପାଇଁ କହୁଥିଲେ। ଗ୍ରାମାଞ୍ଚଳର ଲୋକଙ୍କୁ ଜାଲରେ ଫସାଉଥିଲେ।