ବିଶ୍ୱର ମହଙ୍ଗା ଏଫ୍‌-୩୫ ଲାଇଟନିଙ୍ଗ୍ ଲଢୁଆ ବିମାନ ଆମେରିକାରେ ଦୁର୍ଘଟଣାଗ୍ରସ୍ତ, ଏଭଳି ବିମାନର ଥାଏ ଚାହିଦା

 

ନ୍ୟୁ ମେକ୍ସିକୋର ଅଲବୁକର୍କ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଟେକ୍‌ଅପ୍ କରିବା ପରେ ଆମେରିକା ଏୟାରଫୋର୍ସର ଏଫ୍‌-୩୫ ଲାଇଟ୍‌ନିଙ୍ଗ୍‌-୨ ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଆମେରିକାର ସବୁଠାରୁ ମହଙ୍ଗା ବିମାନ କାର୍ଯ୍ୟକ୍ରମକୁ ଲଗାତାର ଝଟକା ଲାଗୁଛି । ଏହାର ଗୋଟିଏ ବିମାନର ମୂଲ୍ୟ ଭାରତୀୟ ମୁଦ୍ରାରେ ୮୩୨ କୋଟି ଟଙ୍କାରୁ ଅଧିକ। ବିମାନ ଦୁର୍ଘଟଣାର ସାମ୍ନା କରିବା ପୂର୍ବରୁ ଏହାର ପାଇଲଟ୍ ବାହାରି ଯାଇଥିଲେ।

ଏହି ଲଢୁଆ ବିମାନ ସହିତ ଚଳିତ ବର୍ଷର କଂପାନିର ଏହା ଦ୍ୱିତୀୟ ଦୁର୍ଘଟଣା। ଏହା ପୂର୍ବରୁ ଦକ୍ଷିଣ କେରୋଲିନାରେ ମଧ୍ୟ ଏକ ଲଢୁଆ ବିମାନ ନିଖୋଜ ହୋଇଥିଲା। ପରେ ଏହାକୁ ଏକ ଘର ଛାତ ଉପରେ ଦୁର୍ଘଟଣାଗ୍ରସ୍ତ ଅବସ୍ଥାରେ ଠାବ କରାଯାଇଥିଲା। ଏହାର ଭଗ୍ନାବଶେଷ ଦକ୍ଷିର କେରୋଲିନାର ଜଏଣ୍ଟ ବେସ ଚାଲର୍ସଟନ୍ ଠାରୁ ୯୬ କିମି ଦୂର ୱିଲିୟମ୍ସବର୍ଗ କାଉଣ୍ଟିରେ ମିଳିଥିଲା। 

ସୂଚନାଯୋଗ୍ୟ, ଏହି ଲଢୁଆ ବିମାନ ୧୦-୧୨ଟି ଦେଶରେ ବ୍ୟବହାର କରାଯାଇଥାଏ। ଆମେରିକା ସେନା କହିଛି, ଦୁର୍ଘଟଣା ନେଇ ତଦନ୍ତ ଚାଲିଛି। ଗତବର୍ଷ ଆମେରିକାକୁ ଏଭଳି ଅନେକ ଦୁର୍ଘଟଣାର ସାମ୍ନା କରିବାକୁ ପଡ଼ିଥିଲା। ଏହା ପୂର୍ବରୁ ତିନିଟି ଦୁର୍ଘଟଣାରେ ଅଷ୍ଟ୍ରେଲିଆରେ ଏକ ଭି-୨୨ବି ଆସ୍ପ୍ରେ ଟିଲ୍ଟ୍ରୋଟର ଏୟାରକ୍ରାଫ୍ଟ ଟ୍ରେନିଂ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ତିନି ଜଣ ୟୁଏସ୍ ମରୀନଙ୍କ ମୃତ୍ୟୁ ହୋଇଥିଲା।